Unknown

ବଣମାଳତୀ

ଶ୍ରୀ ଚିନ୍ତାମଣି ମହାନ୍ତି

 

ସୂଚୀପତ୍ର
ବିଷୟ

 

ବଣ ମାଳତୀ

ଅନନ୍ତ ବିଭବ

ଗୋଲାପ

ଆତ୍ମପୂଜା

ସୂର୍ଯ୍ୟମୁଖୀ

ଈଶ୍ୱର କି ନିରାକର ?

ସେବତୀ

ନୀତିବାଣୀ

ମରୁଆ

ସାଳନ୍ଦୀ ତୀରେ ସୂର୍ଯ୍ୟାସ୍ତ

ସୁଗନ୍ଧା

ଅନନ୍ତ ବିଭବ

ଜଳସ୍ଫୋଟକ

କବିଭାଗ୍ୟରେ ଅଭିଶାପ

ବିଜନତା

ମାନସପୂଜା

ଲାଜକୁଳୀଲତା

ଟଙ୍କା

ଶ୍ମଶାନତୁଳସୀ

ପ୍ରତିଭାପୂଜା

ନବଧୃତ ପକ୍ଷୀ

ନିବେଦନ

କବି

ବାଦୁଡ଼ି

କୋକିଳ

ଅମୃତ ସପ୍ତକ

ଯୌବନ

ବିଷସପ୍ତକ

ଉଦର

ଚିନ୍ତା

କବିତା ଦେବୀ

ଅଶ୍ରୁଝର

 

ବଣମାଳତୀ

ବନେ ଫୁଟି ଝଡ଼ିଯାଏ ବନର ମାଳତୀ

ତହିଁ ତା ବିଲୟ, ଯହିଁ ଲଭେ ସେ ଉତ୍ପତ୍ତି ।

ଛୁଏଁ ନାହିଁ ବାସ ତାର ଲୋକାଳୟ ସୀମା,

ନ ବୁଝନ୍ତି କେହି ପୁଣି ଗୁଣର ଗରିମା ।

 

ବାୟୁ ସହ କିଛି କାଳ କରି ଲୀଳାଖେଳା,

ବୁଡ଼ାଏ ସେ କାଳ-ସିନ୍ଧୁ ନୀରେ ପ୍ରାଣଭେଳା ।

ନରନେତ୍ର ଆଗୋଚର ଆହା ତାହା ରୁପ,

ଦେଖେ ଏକା ଖୋଜି ଖୋଜି ପ୍ରେମିକ ମଧୁପ ।

 

ନ ଦେଖୁ ପଛକେ ଆନ ନ ବୁଝୁ ତୋ ଗୁଣ,

ସେଥିପାଇଁ ନୁହ ଫୁଲ ଅଣୁମାତ୍ର କ୍ଷୁଣ୍ଣ ।

ନ ଘଟୁ ତୋ ଭାଗ୍ୟେ ପଛେ ମର୍ତ୍ତ୍ୟର ଆଦର,

ସ୍ୱର୍ଗୀୟ ତୁ, ସ୍ୱର୍ଗେ ହେବୁ ଆଦୃତ ନିକର ।

 

ଦେବ ଭିନ୍ନ ତୋ ମୂଲ୍ୟ କି ବୁଝିବ ମାନବ,

ବୁଝନ୍ତି ମହତେ ସିନା ମହତ ଗୌରବ ।

 

ଗୋଲାପ

କାହୁଁ ତୁ ଆସିଲୁ କହ କୁସୁମ-ସୁନ୍ଦରି,

ଅମର୍ତ୍ତ୍ୟ ମାଧୁରୀରାଶି ଚାରୁ ଅଙ୍ଗେ ଭରି ।

ବିସ୍ତାରିଛୁ ମୃଦୁହାସ କାହା ମୁଖେ ଚାହିଁ,

ଏ ସୌନ୍ଦର୍ଯ୍ୟ ଏ ମାଧୁର୍ଯ୍ୟ ପାଇଲୁ ବା କାହିଁ ?

 

ନିରେଖି ତୋହର ସୌମ୍ୟ ପ୍ରଫୁଲ୍ଲ ଶ୍ରୀମୁଖ,

ନିମେଷେ ପାସୋରେ ମୁହିଁ ଭବ-ତାପ ଦୁଃଖ ।

ଅପୂର୍ବ ଆନନ୍ଦ-ନୀରେ ହୁଏଁ ନିମଗନ,

ଜାଗ୍ରତାବସ୍ଥାରେ ଦେଖେଁ ଅଜ୍ଞାତ ସ୍ୱପନ ।

 

ଉଦ୍ୟାନ-କମଳା ତୁହି ସ୍ଥଳ-କମଳିନୀ

ମଧୁର ଶୀକଳ ସ୍ନିଗଧ ସୌରଭମାଳିନୀ ।

କି ଦେବି ଉପମା ତୋତେ ଲୋ ଲାବଣ୍ୟନିଧି

ଗଢ଼ିଛି କି ତନୁ ତୋର କଳ୍ପନାରେ ବିଧି ।

 

ଚଢ଼ାଇଛି ତହିଁ ପୁଣି ଦିବ୍ୟଜ୍ୟୋତିଃ-ଝଳି,

ପାରୁ ତୁହି ରୁପଦର୍ପେ ବିଦ୍ରୁମେ ବିଦଳି ।

ଶିଶୁର ପରମ ଧନ ଅଟୁ ତୁ ସୁମନ,

ଆଦରେ ଯୁବକେ ତୋତେ କରନ୍ତି ଧାରଣ ।

 

ସ୍ଥବିର ହସ୍ତରେ ହେଉ ଦେବ ଉପହାର,

ଅବଳାକୁଳର ତୁହି ପ୍ରିୟ ଅଳଙ୍କାର

ନୁହେଁ ଚିରସ୍ଥାୟୀ କେହି ଏ ଅସ୍ଥାୟୀ ଭବେ,

ରୁପ ହାସ୍ୟ ସୌରଭ ତୋ ସରିଯିବ ଲବେ ।

 

ନୁହେଁ ଏ ସଂସାର ତବ ଯୋଗ୍ୟ ବାସସ୍ଥଳ,

ସଦା ଉର୍ଦ୍ଧ୍ୱଶିଖ ଏଥି ଉଗ୍ରା ଦୁଃଖାନଳ ।

କହ କହ ଥରେ ଭଲା କହୁ ଲୋ ରୁପସି,

କିପରି ଏ ଦୁଃଖ ଭୁଲୁ ସଦା ହସି ହସି ।

କିପରି ହସାଉ ଆନେ ଫୁଲକୁଳେଶ୍ୱରି,

ଶିଖାଅ ସେ ମନ୍ତ୍ର ମୋତେ ଅନୁଗ୍ରହ କରି ।

ଦେଖିବି ସେ ମହାମନ୍ତ୍ର କରି ଉଚ୍ଚାରଣ,

ପାରିବି କି ଶମି ଆହା ହୃଦ-ହୁତାଶନ ।

ସଂଦଗ୍‌ଧ ହେଉଛି ମୁହିଁ ସତତ ତହିଁରେ,

ଶାନ୍ତି-ସୁଖ-ଶୂନ୍ୟ ଏହି ନିର୍ମମ ମହୀରେ ।

ପଚାରିଲି ବହୁବାର ବହୁ ଶତ ଜନେ,

କେହି ନ କହିଲା ଶାନ୍ତି ଲଭିଛି ସେ ମନେ ।

ତେଣୁ ଦୃଢ଼ ବିଶ୍ୱାସ ମୋ କାହିଁ କେଉଁ କାଳେ

ଶାନ୍ତି ନାହିଁ ଶାନ୍ତି ନାହିଁ ମାନବ କପାଳେ ।

 

ସୂର୍ଯ୍ୟମୁଖୀ

ଅଦ୍ଭୁତ ସାଧନା ତୋର ଫୁଲ ସୂର୍ଯ୍ୟମୁଖୀ,

ରୌଦ୍ରେ ବସି ସୂର୍ଯ୍ୟଚାହିଁ ହେଉ ମହାସୁଖୀ ।

କୋମଳ ତୋହର ଅଙ୍ଗ, ସ୍ୱଭାବ କୋମଳ,

ମାତ୍ର ଜୀବନର ବ୍ରତ କଠୋର ସବଳ ।

 

ଆଶାନେତ୍ରେ ଅନିମିଷେ ଅଛୁ ସୂର୍ଯ୍ୟେ ଚାହିଁ,

କି ସମ୍ପଦ ଦେଉଛନ୍ତି ସୂର୍ଯ୍ୟ ତୋତେ କାହିଁ ।

ଅର୍କ ସଙ୍ଗେ କି ସମ୍ପର୍କ ଅଛି ଲୋ ତୋହର,

ସେ ଶାଶ୍ୱତ ଶୂନ୍ୟବାସୀ, ମର୍ତ୍ତ୍ୟେ ତୋର ଘର ।

 

ଉଭୟ ମଧ୍ୟରେ ବହୁ ଦୂର ବ୍ୟବଧାନ,

କିପରି ବା ହୁଏ ପ୍ରୀତି ଆଦାନ ପ୍ରଦାନ ।

କହ କହ ସୂର୍ଯ୍ୟମୂଖୀ ! ଫୁଲକୁଳରାଣୀ,

କିପରି ତେଜସ୍ୱୀ କରେ ଛନ୍ଦିଲୁ ତୁ ପାଣି ।

 

ବୃଥା ଏହି ପ୍ରଶ୍ନ ସିନା ତୋ ପ୍ରତି ମୋହର,

ଧରନ୍ତି ସୁନ୍ଦରୀ ସତୀ ତେଜସ୍ୱୀର କର ।

ତେଣୁ ସିନା ଶୋଭାରାଣୀ ଶମ୍ପା ହୃଷ୍ଟମନେ,

ବରିଅଛି ବିଭୀଷଣ ବଜ୍ରଗର୍ଭ ଘନେ ।

 

ସେବତୀ

ରମ୍ୟ ରୁପବତୀ ତୁହି ଲୋ ସେବତି,

ଭାବେ ମୁହିଁ ତୋତେ ସର୍ବଦା ସେବନ୍ତି ।

ପୁଷ୍ପ-ବାଟିକାର ତୁ ପ୍ରିୟ ମିତଣୀ,

ଖଞ୍ଜିଛୁ ତା ନାସେ ସୁବର୍ଣ୍ଣବସଣୀ ।

 

ସରୁ, ଚାରୁ କାରୁଯୁକ୍ତ ତୋର ତନୁ,

ତଡ଼ିଦିଏ ଆନ ଦିବୃକ୍ଷା ମୋ ମନୁ ।

ସୁବର୍ଣ୍ଣେ ଦୁର୍ବର୍ଣ୍ଣ କରେ ତୋର ଝଳି,

ଦୀପ୍ତ ସୌଦାମିନୀ ଦର୍ପ ଦିଏ ଦଳି ।

 

ରୁପ-ରାଜ୍ୟେଶ୍ୱରୀ ତୁ ଲୋ ଚନ୍ଦ୍ରମଲ୍ଲି,

ଦୋଳିଲେ ତୁ, ଶୋଭା ପଡ଼ୁଛି ଚହଲି ।

ରୁପ ଗୁଣ ତେଜି ସପତ୍ନୀ ବିବାଦ,

ସେବତି ! ସେବନ୍ତି ଏକତ୍ରେ ତୋ ପାଦ ।

 

ବାହ୍ୟ ଅଭ୍ୟନ୍ତର ତୋର ଚାରୁତର,

ତେଣୁ ତୁ ଜଗତେ ଆଦର୍ଶ ସୁନ୍ଦର ।

 

ମରୁଆ

ଘନପର୍ଣ୍ଣଗୁଚ୍ଛମୟୀ ତୁହି ଲୋ ମରୁଆ,

ସୌରଭ-ସୌଭାଗ୍ୟେ ହେଉ ଫୁଲ ସ୍ଥାନେ ଥୁଆ ।

ହେଲେ ହୃଦ ସମୁନ୍ନତ ସଦ୍ଗୁଣ ଆଧାର,

କ୍ଷୁଦ୍ର ସୁଦ୍ଧା କରେ ରୁଦ୍ର ସ୍ଥାନ ଅଧିକାର ।

 

ମରୁଏ, ତୋ ତପ ଧନ୍ୟ, ତୁହି ଭାଗ୍ୟବତୀ,

ଧରନ୍ତି ବକ୍ଷରେ ତୋତେ ନୀଳାଚଳପତି * ।

ମାତ୍ର ନ ପଚାରେ ଅହୋ ଭ୍ରମରେ ଭ୍ରମର,

କାହୁଁ ବା ବୁଝିବ ସାଧୁ ସଦ୍ଗୁଣ ପାମର ।

* ମରୁଆମାଳରେ ଜଗନ୍ନାଥଙ୍କର ସିଂହାର ବେଶ ହୁଏ ।

 

ସ୍ୱଭାବସୁନ୍ଦରୀ ଯେଣୁ, କୁସୁମ-ଭୂଷଣ,

ଶୋଭାର୍ଥେ ନ କରୁ ସତି, ଶ୍ରୀଅଙ୍ଗେ ଧାରଣ ।

ଅପ୍ରାକୃତ ଅଳଙ୍କାର ସଦ୍ଗୁଣ ଯାହାର,

ଆନ ଅଳଙ୍କାର ତାର ସିନା ଦେହଭାର ।

 

ବାହ୍ୟିକ ମାଧୁରୀ ଯାର କେବଳ ସମ୍ବଳ,

ଶୋଭା-ରାଜ୍ୟେ ସେ ନିଶ୍ଚୟ ମହାକାଳଫଳ ।

 

ସୁଗନ୍ଧା

ଗୁଳ୍ମକୁଳ-ସାଆନ୍ତାଣୀ ଲୋ ସୁଗନ୍ଧା ଧନି !

ଦିବ୍ୟଗନ୍ଧଗର୍ଭା ତୁହି ମର୍କତବରଣୀ ।

ଉଦ୍ୟାନର ଏକ ଅଂଶେ ବସି ଲୋ ସୁନ୍ଦରି,

ଦେଉଥାଉ ଚଉପାଶେ ସୌରଭ ବିଚରି ।

ନ ଦେଉ ତୁ ଫୁଲ କିମ୍ବା ଫଳ ରସାକର,

ତଥାପି ଲଭୁ ତୁ ଭବେ ବିପୁଳ ଆଦର ।

ରବି କରେ ଶୁଷ୍କ ହେଲେ ତୋର ଅବୟବ,

ତେବେହେଁ ନ ଛାଡ଼ୁ ସ୍ୱୀୟ ସୌରଭ-ବିଭବ ।

ସତ୍ୟପ୍ରାଣ ପୁଣ୍ୟଶ୍ଳୋକ, ହୃଦୟୀ, ସଜ୍ଜନେ,

ନ ଛାଡ଼ନ୍ତି ସାଧୁଗଣ ପ୍ରବଳ ପୀଡ଼ନେ ।

ଉଦ୍ୟାନର ବାରାଙ୍ଗନା ସିନ୍ଦୁରାଙ୍ଗୀ * ପରି,

ଚହଟ ଚିକ୍କଣ ରୂପ ନାହିଁ ତ ତୋହରି ।

* ଘନ ଲୋହିତ ବର୍ଣ୍ଣର ଗୁଳ୍ମବିଶେଷ । ରୁପ ବ୍ୟତୀତ ଏହାର କୌଣସି ଗୁଣ ନାହିଁ ।

ମାତ୍ର ସମ୍ପାଦିଛୁ ଯେଉଁ ସଦ୍ଗୁଣ ଶରୀରେ

ତାହା ଯୋଗୁ ଆସନ ତୁ ଲଭୁ ଦେବଶିରେ ।

ରୁପେ କିଛି ଫଳ ନାହିଁ ଗୁଣେ ଅଛି ପୂଜା

ବୁଝାଉ କି ଭବେ ଏହା, ଚିରକାଳ ବୁଝା ।

 

ଜଳସ୍‌ଫୋଟକ

ଚଞ୍ଚଳ ଚଞ୍ଚଳା ସମ ତ ଜଳସ୍ଫୋଟକ,

ଜନ୍ମ ଲଭି ଲୀନ ହେଉ ନ ପଡ଼ୁ ପଲକ ।

ଜଳରୁ ଉଦ୍ଭବ ତୋର ଜଳେ ପୁଣି ଲୟ,

ଭୂତୁ ଜନ୍ମି ଭୂତେ ମିଶେ ଯଥା ଭୂତଚୟ ।

 

ନୀରବେ କି ଶିକ୍ଷା ଦେଉ ରେ ସ୍ୱଚ୍ଛମାଣିକ,

ସଂସାରେ କ୍ଷଣିକ ସର୍ବେ, ସଂସାର କ୍ଷଣିକ ।

ମରିବା ସକାଶେ ଜୀବ ଜନ୍ମେ ଏ ବିଶ୍ୱରେ,

ଜନ୍ମ ଲାଭ ପାଇଁ ପୁଣି ଯଥାକାଳେ ମରେ ।

 

ଜନ୍ମ ମରଣର ଏହି ସମ୍ବନ୍ଧ ଘନିଷ୍ଠ,

ସଙ୍କେତେ ତୁ ଜୀବକୁଳେ କରୁ ଉପବିଷ୍ଟ ।

ବୁଝିବ କି ଭଲା ତୋର ଉପଦେଶ ସାର,

ମାୟା-ମୋହ-ବିଷ-ଦିଗ୍‌ଧଭ୍ରାନ୍ତ ଏ ସଂସାର ।

 

ବିଷୟ-ବାତୁଳ ପଛେ ନ ବୁଝୁ ରେ ତାହା,

ନ ଛାଡ଼ ତୁ କଦାଚନ ତୋ କର୍ତ୍ତବ୍ୟ ରାହା ।

 

ବିଜନତା

ବଡ଼ ଭଲ ପାଏ ମୁହିଁ ତୋତେ ବିଜନତା,

ନୀରବେ ତୁ ଶିକ୍ଷା ଦେଉ କେତେ ସାର କଥା ।

ଯୋଗୀର ଈପ୍‌ସିତ ଧନ ରଖିଅଛୁ ସଞ୍ଚି,

କବି ହସ୍ତେ ସମର୍ପୁ ତୁ କଳ୍ପନାର କଞ୍ଚି ।

 

କେତେ ଚିତ୍ର ଶରୀରେ ତୁ ସମ୍ପାଦିଛୁ ଆହା,

ଯାର ଯା ବାସନା ତାକୁ ଦେଖାଉ ତୁ ତାହା ।

ଚିର-କୋଳାହଳପ୍ରିୟ ଆତ୍ମଶ୍ଳାଘୀ ଜନେ,

ଦେଖନ୍ତି ତୋତେ ଲୋ ଏକା ବିଷାକ୍ତ ନୟନେ ।

 

ବିସ୍ତୀର୍ଣ୍ଣ ପ୍ରାନ୍ତର ବନ ମରୁ ଗିରିଦରୀ,

ଏ ସକଳ ସ୍ଥାନର ତୁ ପ୍ରିୟସହଚରୀ ।

କେ କରିବ ଦୁଃଖି-ଦୁଃଖ ଊଣା ତୋହ ବିନା,

ଲଭେ ସେ ସାନ୍ତ୍ୱନା ତୋର ସହବାସେ ସିନା ।

 

ମୋର ପ୍ରିୟ ବାଞ୍ଛିତ ଲୋ ତୁହି ବିଜନତା,

ଏଣୁ ମୋର ସମଧିକ ତୋଠାରେ ମମତା ।

 

ଲାଜକୁଳୀ ଲତା

କେତେ ଲାଜ ଦିନରାତି କରୁ ଲାଜକୁଳି,

ଅପର ପରଶ ମାତ୍ରେ ପଡ଼ୁ ତୁ ଝାଉଁଳି ।

ପବନ ଜୀବନ ତୋର, ଥାଉ ଆନ କଥା,

ତାହାର ପରଶେ ସୁଦ୍ଧା ପୋତୁ ଲାଜେ ମଥା ।

 

କେତେ ବା ନାହାନ୍ତି ଭବେ ପାଦପବଲ୍ଲରୀ,

ମାତ୍ର କିଏ ଆଚରୁଛି ଲଜ୍ଜା ତୋହ ପରି ।

ଖାଲି ଲଜ୍ଜା-ଉପାଦାନେ ବିଧାତା-ବିନ୍ଧାଣୀ,

ଗଢ଼ିଛି କି ତନୁ ତୋର ଦେଇ ଲଜ୍ଜା-ପାଣି ।

 

କହ କହ ଲୋ ଶ୍ୟାମାଙ୍ଗି, କାନନକୁମାରୀ,

କାହିଁକି ଲଜ୍ଜାରେ ହେଉ ଏତେ ଭଲା ଘାରି ।

ବୁଝିଲି ତୁ ଲତାକୁଳେ ସତୀ ଲାଜକୁଳି,

ତେଣୁ ପର ସ୍ପର୍ଶେ ଖରେ ପଡ଼ୁ ଲୋ ଝାଉଁଳି ।

 

ଧନ୍ୟ ତୋ ପବିତ୍ରାଚାର ପାତିବ୍ରତ୍ୟ ବ୍ରତ,

ଶିକ୍ଷାଦିଅ ଆର୍ଯ୍ୟବାଳେ ସେ ବ୍ରତ ସତତ ।

ବାହ୍ୟଶୋଭା ଚାକଚକ୍ୟ ନ ଧରୁ ଟିକିଏ,

ଅନ୍ତର ସୌନ୍ଦର୍ଯ୍ୟପୂର୍ଣ୍ଣ ଦେଖୁଛି ତା କିଏ ।

 

ନ ଦେଖୁ ପଛକେ କେହି କିଛି କ୍ଷତି ନାହିଁ,

ହରୁଥା ତୁ କାଳ ସଦା ତୋହ ଭାବେ ଥାଇ ।

 

ଶ୍ମଶାନ-ତୁଳସୀ

କିପାଇଁ ବିରସ ମନେ ଶ୍ମଶାନ-ତୁଳସି,

ଶ୍ମଶାନ କୋଣରେ ଅଛୁ ମଉନରେ ବସି ।

ପାଉଥାନ୍ତୁ ପାଦପୂଜା ଥିଲେ ଲୋକାଳୟେ,

ରହିଛୁ କୁସ୍ଥାନେ ଆସି ଭାଗ୍ୟବିପର୍ଯ୍ୟୟେ ।

 

ଭାଗ୍ୟ ଏ ଜଗତେ ଶ୍ରେଷ୍ଠ, ଭାଗ୍ୟ ଏକା ମୂଳ,

କାହାର ସେ ଅନୁକୂଳ କାର ପ୍ରତିକୂଳ ।

ଅସ୍ଥାନେ ଜନମି, ଜନ୍ମେ କଲୁ ବୃଥା ସିନା,

ବ୍ରାହ୍ମଣୀ ହୋଇ ତୁ ହେଲୁ ଚଣ୍ଡାଳ ଅଧୀନା ।

 

ଏଭଳି ଜୀବନ ଘେନି କେଉଁ ପ୍ରୟୋଜନ,

ବରଂ ଶତଗୁଣେ ଶ୍ରେୟ ଅକାଳ ମରଣ ।

ଅବଜ୍ଞାତା ଅନାଦୃତା ଅତୀବ ଅସାର,

ଶିବା ଶ୍ୱାନେ କଲେ ତୋତେ ଗୋଇଠା ପ୍ରହାର ।

 

ଅତୀବ ମହତ ବସ୍ତୁ ରହିଲେ ଅସ୍ଥାନେ,

ତେଜନ୍ତି ତୋ ଭଳି ତାକୁ ସର୍ବେ ହେୟ ଜ୍ଞାନେ ।

 

ନବଧୃତ ପକ୍ଷୀ

କେତେ ଯତ୍ନ କରୁଅଛି ପକ୍ଷୀଟିଏ ଧରି,

ମାତ୍ର ସେ ନ ଆସେ କେବେ ବଶକୁ ମୋହରି ।

ରଖିଣ ତାହାକୁ ଚାରୁ ସ୍ୱର୍ଣ୍ଣ ପଞ୍ଜରୀରେ,

ସେବାରେ ନିଯୁକ୍ତ ଥାଏ ଦିବା ଶର୍ବରୀରେ ।

 

ଅଭାବ ତାହାର କେବେ କିଛିମାତ୍ର ନାହିଁ,

ତେବେ ସୁଦ୍ଧା ବସିଛି ସେ ମୁହଁକୁ ଶୁଖାଇ ।

ଯେତେ ମୁଁ ଢାଳୁଛି ତାହା ପ୍ରାଣେ ସ୍ନେହ-ବାରି,

ତେବେ ସେ ହେଉଛି ଆହା ଶୋକାବେଗେ ଘାରି ।

 

ଚିନ୍ତାପ୍ରାଣ କବି ପ୍ରାୟ ବସି ଏକଧ୍ୟାନେ,

କି ଭାବୁଛି ମଉନେ ତା ସେହି ଏକା ଜାଣେ ।

ବୁଝିଲି ବୁଝିଲି ପକ୍ଷୀ ତୋର ମନ ବ୍ୟଥା,

ହରାଇ ଦୁଃଖିତ ତୁହି ଚିର-ସ୍ୱାଧୀନତା ।

 

ସ୍ୱାଧୀନତା ସ୍ୱର୍ଣ୍ଣମୂଲ୍ୟ ବୁଝୁ ତୁହି ସିନା,

ଆନ କେ ବୁଝିବ ତାହା ଅନୁଭବୀ ବିନା ।

କିପାଁ ତୁ ଗ୍ରହିବୁ ଅନ୍ନଜଳ ପରଦତ୍ତ,

ଆଚରିଛୁ ଯେଣୁ ଆତ୍ମନିର୍ଭରତା ବ୍ରତ ।

 

ପରାନ୍ନପ୍ରତ୍ୟାଶୀ ସିନା ନୀଚ ହୀନମତି,

କାହିଁ ତା ଜୀବନେ ସୁଖ ସନ୍ତୋଷ ଉନ୍ନତି ।

ଉଇଁଲା ଏ ଜ୍ଞାନ ହୃଦେ ତୋର ଦରଶନେ,

ଛାଡ଼ିଦେଲି ଉଡ଼ି ଯା ରେ ପକ୍ଷି ହୃଷ୍ଟମନେ ।

 

କବି

ହେ ପ୍ରକୃତଶିଷ୍ୟ ଧନ୍ୟ ତୁମ୍ଭର ପ୍ରତିଭା,

ଶବଦେ ଶବଦେ ତୁମ୍ଭେ ଦିଅ ଶୁଭବିଭା ।

ପ୍ରଭୂତ ପ୍ରବଳା ଭବେ କଳ୍ପନା ତୁମ୍ଭର,

ଦୁର୍ବାରଗମନା, କ୍ଷଣେ ଭ୍ରମେ ଚରାଚର ।

 

ଆଲୋକ ପବନ ଜଳ ପଶେ ନାହିଁ ଯହିଁ,

ସେ ଅଗମ୍ୟ ସ୍ଥାନୁ ଧନୀ ଆଣେ ବାର୍ତ୍ତା ବହି ।

ଫୁଟାଏ ଆକାଶେ ଫୁଲ, ତୋଳେ ଅଟ୍ଟାଳିକା,

କୀଟଦଷ୍ଟ ଶୁଷ୍କବୃକ୍ଷେ ଧରାଏ କଳିକା ।

 

ନୀରସେ ସରସ କରେ କୁତ୍ସିତେ ସୁନ୍ଦର,

କାହାକୁ ହସାଏ କା’ କୁ କନ୍ଦାଏ ଆବର ।

ଚିର ମରୀଚିକା-ବାସ ତପ୍ତ ମରୁସ୍ଥଳେ,

ଶୀତତୋୟା ତରଙ୍ଗିଣୀ ଚଢାଏ ଚଞ୍ଚଳେ ।

 

ଶୋଭେ ତୁମ୍ଭ ଶିରେ କବି, କୀରତି-କିରୀଟ,

ନ ପାରଇ ତାହା କେବେ ଦଂଶି କାଳ-କୀଟ ।

କି ଅଦ୍ଭୁତ ଶକ୍ତି ତବ, ଭାରତୀ-ନନ୍ଦନ,

ମର୍ତ୍ତ୍ୟକୁ ଓଟାରି ଆଣ ନନ୍ଦନକାନନ ।

 

ଆକାଶସୁନ୍ଦରୀ-ଶମ୍ପା ତୁମ୍ଭରି ଆଦେଶେ,

କୁତୁହଳେ ବସୁଧାରେ ଖେଳେ ନବବେଶେ ।

ଯୋଗୀ ରୋଗୀ ପ୍ରାୟ ତୁମ୍ଭେ କୋଳାହୁଳ-ଦ୍ୱେଷୀ,

ଭ୍ରମ ସଦା ନିକାଞ୍ଚନ ପ୍ରଦେଶ ଅନ୍ୱେଷି ।

 

ଭାବ ଭାଷା ଅଳଙ୍କାର ତବ ପରିକର,

ପୁଣି ତୁମ୍ଭେ ନାନାରସ ଛନ୍ଦର ଆକର ।

ମରଧାମେ କେ ଅମର ତୁମ୍ଭ ପରି କବି,

ନେତ୍ର-ଲୀଳାଭୂମି ତବ ପ୍ରକୃତରେ ଛବି ।

 

କଳ୍ପ-ସଂହାସନରେ ତୁମ୍ଭେ ଦୀନବେଶୀ ରାଜା,

ଚିରକାଳ ବାଜୁଥିବ ତବ ନାମେ ବାଜା ।

ଆଜୀବନ ମନେ ପ୍ରାଣେ ଜପି ବାଣୀ ନାମ,

ଅନ୍ତେ ଲଭ ଦେବବନ୍ଦ୍ୟ ସାରସ୍ୱତ ଧାମ ।

 

କି ଗାଇବି ବାଣିପୁତ୍ର ତବ ଯଶୋଗୀତି,

ନ ଜାଣେ ମୁଁ ଜଡ଼କଣ୍ଠ କବିତାର ରୀତି ।

ଧ୍ୟାୟି ତବ ଶକ୍ତି, ଲଭି ବିସ୍ମୟ ଅପାର,

ସେ ମହାଶକ୍ତିକୁ କରେ କୋଟି ନମସ୍କାର ।

 

କୋକିଳ

କାହା ନାମେ ଗାଉ ଗୀତ ରେ ବସନ୍ତ-କବି,

ଶ୍ରବଣେ ସେ ମଧୁସ୍ୱର ଯାଏ ହୃଦ ଦ୍ରବି ।

କୁହୁ କୁହୁ ଶବଦର ଅଟେ କିବା ଅର୍ଥ,

ବୁଝିବାକୁ ତାହା-ପକ୍ଷି, ନୁହେଁ ମୁଁ ସମର୍ଥ ।

 

ବୁଝାଅ ତୁ ଅର୍ଥ କରି ତୋହରି କବିତା,

ଶୁଣିବି ମୁଁ ମଣି ତାକୁ ସତ୍ୟ ଧର୍ମଗୀତା ।

ଦିବ୍ୟ ମଧୁମୟ ଗୀତ ପୂତ ଅନାବିଳ,

ଢାଳୁ ତୁ ଜଗତ-କର୍ଣ୍ଣେ କିପାଁ ରେ କୋକିଳ ।

 

କିଛିହିଁ ସମ୍ପର୍କ ମୋର ନାହିଁ ତୋହ ସହ,

ତଥାପି ତୋ ସ୍ୱରେ କିପାଁ ମୁଦ ଲଭେଁ କହ ।

ଦେଇ ନାହୁ ଧନରତ୍ନ, କରି ନାହୁଁ ସ୍ତୁତି,

ତେବେ କିପାଁ ତୋ ଆହ୍ୱାନ ଶୁଣଳେ ଡ଼େରିଶ୍ରୁତି

 

ବୁଝିଲି ବୁଝିଲି ପିକ ବୁଝିଲି ମୁଁ ଏବେ,

ମଧୁରେ ସକଳେ ବଶ କି ନର କି ଦେବେ ।

ନାହିଁ ତୋର ଶତ୍ରୁ କେହି ରେ ବସନ୍ତଦୂତ,

କରିଅଛୁ ସକଳେ ତୁ ଗୁଣେ ବଶୀଭୁତ ।

 

ପ୍ରଚାରୁ କି ଗୂଢମନ୍ତ୍ର କିବା ତୋର ଆଶା,

କିଏ ବା ବୁଝିବ ପକ୍ଷି ! ତୋ ସଙ୍କେତ ଭାଷା

କ୍ଷତି ନାହିଁ କେହି ପଛେ ନ ବୁଝନ୍ତୁ ଭବେ,

ନ ଛାଡ଼ରେ ପକ୍ଷିବର ମାତୃଭାଷା ଲବେ ।

 

ବୁଝିବେ ଭାବୁକେ ତାହା ଆଶୟ ବଳରେ,

ପ୍ରଚାରୁ ଏ ଉପଦେଶ ସିନା ଉଚ୍ଚସ୍ୱରେ-

‘ଇଚ୍ଛା ଯେବେ ଜୀବନରେ ମୈତ୍ରୀ, ଶାନ୍ତି, ପ୍ରୀତି

କଠୋରତା ତେଜି ଧର ସୁକୋମଳ ନୀତି ।’

 

ଅହୋ ଏତେବେଳେ ମୋର ତୁଟିଗଲା ଭ୍ରମ,

ବୁଝିଲି ତୁ ବିଶ୍ୱରାଜ ଦୂତ ପ୍ରିୟତମ ।

ତାହାଙ୍କ ଆଦେଶେ ତୁହି ପ୍ରତି ସମ୍ବତ୍ସରେ,

ମଧୁସହ ସମାଗତ ହୋଇ ଏ ମର୍ତ୍ତ୍ୟରେ,

 

କରାଉ ସତର୍କ ପାନ୍ଥେ ଡ଼ାକି ମୁହୁର୍ମୁହୁ,

ସାବଧାନେ ଚଳ ପଥ ଏ ସଂସାର କୁହୁ ।

 

ଯୌବନ

ଦୁର୍ନୀତି-ଆକର ତୁ ରେ ଦୂରନ୍ତ ଯୌବନ,

କରିଦେଉ କଳୁଷିତ ମାନବ-ଜୀବନ ।

ଚରିତ୍ର-ବିଶୋଷୀ ଦୁଷ୍ଟ ରିପୁଏ ତୋ ଦାସ,

ନ ଛାଡ଼ନ୍ତି ତିଳେ ସେହୁ ତୋର ସହବାସ ।

 

ତୋ ସଙ୍କେତେ କରନ୍ତି ସେ ମାନବେ ଧର୍ଷଣ,

ଚଉପାଶ ଶବେ ଯଥା ଶିବାଶ୍ୱାନଗଣ ।

ତୋ କୁହୁକେ ଧର୍ମାଧର୍ମ ଜ୍ଞାନ ହୁଡ଼ି ନରେ,

ପୂଜନ୍ତି ତୋ ପାଦ ସଦା ପଞ୍ଚମକାରରେ * ।

 

*- ମତ୍ସ୍ୟ, ମାଂସ, ମଦ୍ୟ, ମୁଦ୍ରା, ମୈଥୁନ ।

 

ଧନିକେ ତୋ ଯୋଗୁଁ ହୋଇ ଅକାଳେ ସ୍ୱତନ୍ତ୍ର,

କପନ୍ତି ଶେଷେ ଦରିଦ୍ର-ପଞ୍ଚାକ୍ଷରୀ ମନ୍ତ୍ର * ।

ଅଦ୍ଭୁତ ଶିକ୍ଷକ ତୁହି ବୟଃସନ୍ଧିକାଳ,

ସ୍ପର୍ଶମାତ୍ରେ ଶିକ୍ଷା ଦେଉ ବିବିଧ ଜଞ୍ଜାଳ ।

 

* ‘‘କଣ କରିବି’’ ଦରିଦ୍ର ସର୍ବଦା ଏହା ଭାବୁଧାଏ ।

 

ଅଟେ ପୁଣି ବିପରୀତ ରୀତି ସେ ଶିକ୍ଷାର,

ମଣେ ତାହା ବଳେ ନର ଆଲୋକେ ଅନ୍ଧାର ।

କି ତୀବ୍ର ମାଦକ ଜନେ କରାଉ ତୁ ପାନ,

ହରିନିଏ ଅତର୍କିତେ ସେହୁ ଆତ୍ମଜ୍ଞାନ ।

 

ନର ପ୍ରାଣେ ଯୌବନ ତୁ ନୋହୁ ଚିରସ୍ଥାୟୀ

ଦେଇଯାଉ ଦୁଃଖ, ଆସି ଦୁଇଦିନ ପାଇଁ ।

ତୋ କଠୋର ଶାସନ ଯେ ପାରେ ଅତିକ୍ରମି,

ସେହି ଏକା ଜ୍ଞାନଯୋଗୀ ସାହସୀ ସଂଯମୀ ।

 

ଉଦର

କୁକ୍ଷଣେ ସୃଜିଲା ବିଧି ତୋତେ ରେ ଉଦର,

କଣ୍ଟକ ଉନ୍ନତି-ପଥେ ତୁହି ମାନବର ।

ଆକାରେ ତୁ ଖର୍ବତର କମଠ ସଙ୍କାଶ,

ମାତ୍ର କରିପାରୁ ତୁଙ୍ଗ ଗିରିବର ଗ୍ରାସ ।

 

ଅଦ୍ଭୁତ କ୍ଷମତା ତୋର ଅଚିନ୍ତ୍ୟ ଅଜ୍ଞେୟ,

ମାନବ ଚିକୀର୍ଷା ଏକା କରୁ ତୁହି ହେୟ

ଜନ୍ମକାଳୁ ଖାଇ ଖାଇ ଦୁର୍ବାର ଲାଳସା

ହେଲା ନାହିଁ ପୂର୍ଣ୍ଣ ତୋର, ଅହୋ କି ଦୁର୍ଦ୍ଦଶା !

 

ବିପୁଳ ପ୍ରତିଭାବନ୍ତ, ଗୁଣରା, ମେଧାବୀ,

ବିକୃତ-ମସ୍ତିଷ୍କ ହୁଏ ତୋହ କଥା ଭାବି ।

ସବୁ ବୁଦ୍ଧି, ବଳ, ଶକ୍ତି ତାହାର ତୁ ହରୁ,

ଗନ୍ଧହର ଗନ୍ଧ ଯଥା ହରେ କୁସୁମରୁ ।

 

ସଦା ଆଜ୍ଞାକାରୀ ତୋର ଜୀବଗଣେ ଭବେ,

ଚିନ୍ତା-ଭଉଁରୀରେ ତୁହି ନିକ୍ଷେପୁ ମାନବେ ।

ଚିର ଅତୃପ୍ତ ତୁ ସର୍ବ ଜଞ୍ଜାଳ-ଆଳୟ,

ତୋହୋ ଯୋଗେ ଏ ଜଗତ ସିନା ଦୁଃଖମୟ ।

 

ପକ୍ଷାନ୍ତେ ନ ଥିଲେ ପୁଣି ତୁହି ରେ ଉଦର,

ହୋଇଥାନ୍ତା ସୃଷ୍ଟି-ସିନ୍ଧୁ ସଦା ନିର୍ଲହର ।

ହେଉ ସେ ଘଟନାଶୂନ୍ୟ ନାହିଁ କିଛି କ୍ଷତି,

ମାତ୍ର ତୋର ଆକ୍ରମଣ ଭୟଙ୍କର ଅତି ।

 

କବିତା ଦେବୀ

କବିର ମାନସ-କନ୍ୟା ଗୋର କବିତା ଦେବି,

ସର୍ବାଙ୍ଗ ସୁନ୍ଦରୀ ତୁମ୍ଭେ କି ଉପମା ଦେବି ।

ଶବ୍ଦମୟୀ ତୁମ୍ଭେ, ତୁମ୍ଭ ଶରୀର ଶବଦ,

ମସ୍ତକ ନିଶ୍ଚୟ ରସ, ଯତି ହସ୍ତପଦ ।

 

ଭାବ ପ୍ରାଣ, ଅଳଙ୍କାର ଭୂଷଣ ଅଙ୍ଗର,

ମଧୁର ଶାଶ୍ୱତୀ ଶୋଭା ଛନ୍ଦ ମିତ୍ରାକ୍ଷର ।

ରଖିଛ ସମ୍ପାଦି କବି-କଳ୍ପନା-ସମ୍ପଦ,

ଇହେ ପରେ ମାନବର ଯାହା ଶିବପ୍ରଦ ।

 

ମୋହିପାର ତୁମ୍ଭେ ସର୍ବ ମନ ସର୍ବ ଶ୍ରୁତି,

ଲାଗିଛି ସଂସାରେ ସଦା ତୁମ୍ଭର ଆବୃତ୍ତି ।

ଆଦିକବି ବିଧାତାଙ୍କ ମାନସ କଳ୍ପିତ-

ଏ ବିରାଟ ବିଶ୍ୱକାବ୍ୟ କବିତା ପୂରିତ ।

 

ଗାଉଛି ସମୀର ମୃଦୁ ସୁରୁ ସୁରୁ ସ୍ୱରେ,

ଗାବନ୍ତି ବାରିଦମାଳା ସୁନୀଳ ଅମ୍ବରେ ।

ସାଗର ସହିତ ନଦୀ ସାଗର-ବନିତା,

ଗାବନ୍ତି ସତତ ମହା ଅମର କବିତା ।

 

ବଂଶୀ-ବିନିନ୍ଦିତ ସ୍ୱରେ ଗାଏ ଗିରିଗୁହା,

ଗାଉଛି ନିର୍ଝର ବିଶ୍ୱ-ଗ୍ରନ୍ଥକର୍ତ୍ତା ବୁହା ।

ଗାଆନ୍ତି ଅବୋଧ୍ୟ ସ୍ୱରେ ବିହଙ୍ଗମପନ୍ତି,

ଆବର ଜଗତେ ଯହିଁ ଯେତେ ଜୀବ ଛନ୍ତି ।

 

ବିଶ୍ୱ ପ୍ରତିରନ୍ଧ୍ରେ ଦେବି, ତୁମ୍ଭେ ବିଦ୍ୟମାନ,

କୋଟି ଧନ୍ୟ ଶକ୍ତି ତବ ଅନନ୍ତ ମହାନ ।

 

ଅମୃତ ସପ୍ତକ

ସାନ ବଡ଼ ଯେତେ ଶାସ୍ତ୍ରପରାଣ ସକଳ,

ବୋଲନ୍ତି ଅମୃତ ଅଛି ସ୍ୱର୍ଗରେ କେବଳ ।

ମାତ୍ର ଏ ମର୍ତ୍ତ୍ୟରେ ସୁଦ୍ଧା ମିଳଇ ଅମୃତ,

ନୁହେଁ ଏହା ଅତ୍ୟୁକ୍ତି ତ ଅଥବା ଅନୃତ ।

 

ଶିଶୁ-ମୁଖ-ବିନିଃସୃତ ଅସ୍ଫୁଟ ବଚନ,

ଜଗତ କର୍ଣ୍ଣରେ କରେ ଅମୃତ ବର୍ଷଣ ।

ବିଚ୍ଛେଦାନ୍ତେ ସମ୍ମିଳନ ଅଟଇ ଅମୃତ,

ପରମ ଅମୃତ ମଞ୍ଚେ ଏକା ଗବ୍ୟଘୃତ ।

 

ଆଉ ଏକ ମହାମୃତ ମାତୃଭାଷା ରସ ।

ନିଶ୍ଚୟ ଅମୃତ ମାତୃଭୂମିର ପରଶ ।

ସଦ୍‌ଗୁରୁର ଉପଦେଶ ଅମର ଆଦୃତ,

କି କହିବା ତାକୁ ଆଉ ନ କହି ଅମୃତ ।

 

ସବୁଠାରୁ ଶ୍ରେଷ୍ଠ ହରିଭକ୍ତି ରସାମୃତ,

ମର୍ତ୍ତ୍ୟଧାମେ ଏଗୁଡ଼ିକ ନାମ ସପ୍ତାମୃତ ।

 

ବିଷସପ୍ତକ

ଶଙ୍ଖୁଆ ପ୍ରଭୃତି ବିଷ, ସର୍ପର ଗରଳ,

ଜଗତର ବିଷ ନୁହେଁ ଏତିକି କେବଳ ।

ଶୁଣ ଏ ମହୀରେ ବିଷ ଆଉ କିସ କିସ,

ବିଷୟ-ସମ୍ପଦ ଅଟେ ବୈରାଗୀର ବିଷ ।

 

ମଣେ ବିଷ ବାସନାକୁ ନିର୍ବାସନ ଯତି,

କବିକର୍ଣ୍ଣେ କୋଳାହଳ ତୀବ୍ର ବିଷ ଅତି ।

ନିତୀ ଉପଦେଶ ବିଷ ଦୁର୍ମତି ନିକଟେ,

ପର ଯଶ ଈର୍ଷାଳୁର ଉଗ୍ର ବିଷ ଅଟେ ।

 

ମାତୃଭୁମି ମାତୃଭାଷା ନିନ୍ଦା ଅପବାଦ

ଅତ୍ୟୁତ୍କଟ ବିଷ, ମନେ ଜନ୍ମାଏ ବିଷାଦ ।

ମଣନ୍ତି ମିଥ୍ୟାକୁ ବିଷ ସାଧୁ ଶିଷ୍ଟ ଜନେ,

ଯାର ଯା ଅପ୍ରିୟ ତା ସେ ବିଷ ପ୍ରାୟ ମଣେ ।

 

ଏଥୁଁ ବଳି ଆଉ ବିଷ କି ଅଛି ମଞ୍ଚରେ,

ସପ୍ତ ବିଷ ବୃତ୍ତାନ୍ତ ଏ ଶୁଣ ବିଜ୍ଞନରେ ।

 

ଚିନ୍ତା

ଚିତାଠାରୁ ଚିନ୍ତା ଅଟେ ଅତୀବ ଭୀଷଣ,

ଚିତା ଦହେ କ୍ଷଣେ, ଚିନ୍ତା ଦହେ ଅନୁକ୍ଷଣ ।

ଚିତା ସହ ଭେଟ ହୁଏ ଶ୍ମଶାନରେ ଥରେ,

ମାତ୍ର ଚିନ୍ତା ନାଚେ ସଦା ନୟନ ଆଗରେ ।

 

ଦଗ୍‌ଧ କରିଦିଏ ଚିତା ସଂସାର-ସନ୍ତାପ,

ମାତ୍ର ଚିନ୍ତା ଠୁଳ କରେ ସନ୍ତାପ ଅମାପ ।

ଏକାନ୍ତ ନିଷ୍ଠୁରା ସେହୁ ଆକ୍ରମେ ପ୍ରବଳେ,

ଅନାଦାର କଲେ ସୁଦ୍ଧା ପଶେ ବଳେ ବଳେ ।

 

ନ ଛାଡ଼େ ସେ ଦଣ୍ଡେ ମୋତେ ଦିବା କିବା ନିଶି

ପ୍ରାଣେ ପ୍ରାଣେ ରହି ପୁଣି ନାମେ ଅଛି ମିଶି ।

ବଡ଼ ହଟିଆଣୀ ଦୁଷ୍ଟା ଲଗାଇଛି ହଟ,

ହେଉଛି ମୁଁ ତା ହାବୁଡ଼େ ପଡ଼ି ଛଟପଟ ।

 

‘ସୁ’ ‘କୁ’ ଭେଦେ ବେନିରୁପ ଧରେ ସେ ପାଷାଣୀ,

‘ସୁ’ ଲୁଚାଇ ବେଳେ ବେଳେ ‘କୁ’ ଭେଟାଏ ଆଣି ।

ନାହିଁ ମୋର ଲୋଡ଼ା ତାହା ମାନସ-ଦୁହିତା,

ତାଠାରୁ ବରଞ୍ଚ ଶ୍ରେୟ କୋଟିଗୁଣେ ଚିତା ।

 

‘ସୁ’ ରୁପେ ତୁ କଲେ ସଦା ମୋ ହୃଦୟେ ଘର

ପୂଜିବି ତୋ ପାଦ ପଛେ ନ ପୁରୁ ଉଦର ।

 

ଅଶ୍ରୁଝର

ଦୁଃଖୀ ଦରିଦ୍ରର            ଏକମାତ୍ର ତୁହି

ସଙ୍ଖାଳି ରେ ଅଶ୍ରୁଝର,

ବହୁକାଳୁ ସଖା            ତୋହ ସଙ୍ଗେ ଅଛି

ସୁପରିଚୟ ମୋହର ।

 

ତୋହ ଭଳି ମୋର            ପ୍ରାଣପ୍ରିୟ ସଖା

ଦ୍ୱିତୀୟ ନାହିଁ ଏ ଭବେ,

ସମ୍ବଳ ବଳ ତୁ             କେବଳ ମୋହର

ନ ବିସୋରେ ତୋତେ ଲବେ ।

 

ତୋହ ସଙ୍ଗେ ଅଶ୍ରୁ             ମୋର ଏ ବନ୍ଧୁତା

କରି ଦେଇଛନ୍ତି ହରି,

ନିବିଡ଼ ନିସର୍ଗ-            ବନ୍ଧନ ତ କେବେ

ବଳେ ନୁହେଁ ଛିନ୍ନ କରି ।

 

ଗ୍ରୀଷ୍ମ ସନ୍ତାପରେ                   ଶୁଖିଯାଉଅଛି

କେତେ ଝର ମହାଝର,

ମାତ୍ର କାଳେ କାଳେ             ହୁଏ ନାହିଁ ଶୁଷ୍କ

ଶାଶ୍ୱତ ସ୍ରୋତ ତୋହର ।

 

ରୋଗେ ଶୋକେ ଦୁଃଖେ       ବଳେ ବଳେ ଆସି

ପ୍ରଦାନୁ ମୋତେ ସାନ୍ତ୍ୱନା,

ତୋ ଦେହେଁ ମୁଦ୍ରିତ            ମୋ ଜୀବନବ୍ୟାପି

ଯାବତ ଦୁଃଖ ଘଟନା ।

 

ଅତି ମୂଲ୍ୟବାନ            ଅଟୁରେ ଲୋତକ

ସ୍ୱର୍ଗୀୟ ପୁଣି ପବିତ୍ର,

ମୋହୋ ସଙ୍ଗେ ସଙ୍ଗୀ      ହୋଇ ହେଲୁ ସିନା

ମୋହୋ ପରି କଳଙ୍କିତ ।

 

ମୋହ-ମାୟା-ଜଡ଼            ଅଜ୍ଞାନ ମୁଦ୍ରିତ-

ମୋ ନେତ୍ରେ ନ କରି ବାସ,

ଭକ୍ତ-ନେତ୍ରେ ବାସ             କରିଥିଲେ ତୁହି

ଛେଦିଥାନ୍ତୁ ଭବ ପାଶ ।

 

ଭକ୍ତ ନୟନର            ପ୍ରେମାଶ୍ରୁ କଣାଟି

ଭବେ ମହାମୂଲ୍ୟବାନ,

ଆନର ନେତ୍ରାଶ୍ରୁ            ଅଟେ ସିନା ଖାଲି

ଶୋକମୋହର ନିଦାନ ।

 

ଯେତେ ଅଛି ଭବେ       ଧନ ମହାଧନ

ସବୁ କଲେ ଏକତ୍ରିତ,

ପ୍ରେମାଶ୍ରୁ କଣିକା            ମୂଲ୍ୟ ସଙ୍ଗେ ତାହା

ନ ହେବ ତିଳେ ତୁଳିତ ।

 

ପରଦୁଃଖ ଦେଖି            ହୃଦୟୀ ନୟନୁ

ଝରେ ଯେଉଁ ଅଶ୍ରୁ ଝର,

ପ୍ରେମାଶ୍ରୁ ସଙ୍ଗତେ             ତୁଳିତ ଏକା ସେ

ପବିତ୍ରୁଁ ପବିତ୍ରତର ।

 

କବି ଭାଗ୍ୟରେ ଅଭିଶାପ

ଉତ୍କଳ କବିଙ୍କ ଭାଗ୍ୟେ ଏ କି ଅଭିଶାପ

ନାହିଁ ଆନ ଲାଭ, ଲାଭ ଦୁଃଖ ମନସ୍ତାପ ।

ଦେଇଛନ୍ତି ଏ ଦେଶକୁ ଶାପ କେଉଁ ଦେବ,

ଯେ ସେବିବ ବାଣୀପଦ ସେ ଦରିଦ୍ର ହେବ ।

 

ଶୋଷିବେ ଶୋଣିତ ତାର ସଦା ରୋଗ ଶୋକ,

କଠୋର ଶୋଷଣେ ଯଥା ଶୋଷେ କ୍ରୁର ଜୋକ ।

ତାହା ଦଗ୍‌ଧ ଦୁରଦୃଷ୍ଟେ ଯଶ ମାନ ଧନ,

ପ୍ରଦାନ ବିଷୟେ ବିହି ଏକାନ୍ତ କୃପଣ ।

 

ଅନର୍ଗଳ ଗାଳି ନିନ୍ଦା ଦାରିଦ୍ର୍ୟ ଆବର,

ଏ ଦେଶ କବିଙ୍କ ଚିର ପ୍ରିୟ ସହଚର ।

ଜାଳିଣ ଉଦର-ଚିନ୍ତା କବି ହୃଦେ ଚିତା,

ପୋଡ଼ି ଭସ୍ମ କରିଦିଏ ଆସନ୍ନ କବିତା ।

 

ଧୈର୍ଯ୍ୟ-ଜଳ ସିଞ୍ଚି ତହିଁ ବହୁକଷ୍ଟେ କବି,

କଳ୍ପନା-ତୂଳିକା ଧରି ଅଙ୍ଗେ ନବ ଛବି ।

ଅଭାବ ଗ୍ରାହକ କିନ୍ତୁ ଦେଖିବାକୁ ତାହା,

ଦେଖିଲେହେଁ କେହି ମୂଲ୍ୟ ନ ବୁଝନ୍ତି ଆହା !

 

ନ ବୁଝନ୍ତୁ ପଛେ, ଦିନେ ବୁଝିବେ ନିଶ୍ଚୟ,

ସେ ଦିନ ରଟିବ ଧ୍ୱନି କବିନାମେ ଜୟ ।

କବି-ପ୍ରତିଭାର ହେବ ସେ ଦିନ ଆଦର,

ଅର୍ପିବେ ତାହାଙ୍କୁ ପୂଜା ସର୍ବ ନାରୀନର ।

 

ବୁଝିବେ କୋବିଦେ କବି-କାବ୍ୟରସାସ୍ୱାଦ,

ଉଠିବ କବିଙ୍କ ନାମେ ଉଚ୍ଚେ ଧନ୍ୟବାଦ ।

 

ମାନସ ପୂଜା

କହ ମାତଃ ଶ୍ୱେତଭୁଜେ ଏ କି ବିଡ଼ମ୍ବନା,

କି ହେତୁ ବିଫଳ ହେଲା ସେବକ କଳ୍ପନା ।

ସାକାର ପୂଜାରେ କି ମା ନାହିଁ ତବ ପ୍ରୀତି,

ଯେଣୁ ତାହା ସାଧନାର ଅଟେ ଗୌଣ ରୀତି

 

ଆସ ତେବେ ମୁଖ୍ୟ ଭାବେ ପୂଜିବ ମାନସେ,

ନବୀନ ଭାବରେ ଦେବି ! ନବୀନ ହରଷେ ।

ମାନସେ ରଚିବି ମୂର୍ତ୍ତି, ମାନସରେ ଫୁଲ,

ମାନସେ କରିବି ପୂଜା ଉପାଦାନ ଠୁଳ ।

 

ଆସ ଆସ ବସ ମାତଃ ମନଃ-ଶତଦଳେ,

ଧୋଇବି ତୁମ୍ଭର ପାଦ ଭକ୍ତି-ଗଙ୍ଗାଜଳେ ।

ପ୍ରୀତି, ନତି, ଜପ, ଧ୍ୟାନ, ସ୍ତୁତି ସହକାରେ,

ଅର୍ପିବି ତୁମ୍ଭଙ୍କୁ ପୂଜା ଶୋଡ଼ଶୋପଚାରେ ।

 

ପାର୍ଥିବ ପଦାର୍ଥମାନ ସବୁ ତ ତୁମ୍ଭର,

କି ଦ୍ରବ୍ୟ ସମର୍ପି ଅବା ପୂଜିବି ପୟର

ଏଣୁ ଅପାର୍ଥିବେ ପୂଜା କଲି ସମର୍ପଣ,

ଭାବମୟି ! ଭାବ ମାତ୍ର କର ଗୋ ଗ୍ରହଣ ।

 

ଟଙ୍କା

ଧନ୍ୟ ଲୋ ରଜତ ଚକି ଧବଳାଙ୍ଗି ଟଙ୍କା,

ଚରାଚର ବଶ ମନ୍ତ୍ର ତୋ ଅଙ୍ଗରେ ଅଙ୍କା ।

ଜଗତେ ତୋର ଲୋ ଧନି ! ବାଜେ ଜୟଢ଼କା,

ନଖେ ପିଟିଦେଲେ ଛାଡ଼ୁ ଠଣ୍‌ ଠଣ୍‌ ଡ଼କା ।

 

ଯା ଗୃହେ ଗୃହିଣୀ ତୁହି ଦୃଷ୍ଟି ତାର ବଙ୍କା,

କରନ୍ତି ତାହାକୁ ସର୍ବେ ନତି ଭକ୍ତି ଶଙ୍କା ।

ଥାଏ ସେ ମୁଣ୍ଡାଇ ସଦା ଅହଙ୍କାର ଝଙ୍କା,

ମୁଷ୍ଟିଭିକ୍ଷା ଦାନେ ସେହୁ ଅଟେ ମହାରଙ୍କା ।

 

ରାଗେ ଦେହ ଭରା ତାର ଯଥା କଟୁଲଙ୍କା,

ତୋହ ଯୋଗେ ଶତ ଦୋଷ ପଡ଼େ ତାର ଢଙ୍କା ।

ହୁଏ ତାର ଦୁଧ ସର ମଧୁପର୍କେ ଛଙ୍କା,

ଘିଅଭାତେ ଢାଳି ଖାଏ ଦୁଧ ଡଙ୍କା ଡଙ୍କା ।

 

ଘୋର ଜାଡ଼େ ସଦା ପଡ଼େ ତା ଦେହରେ ପଙ୍ଖା,

ବଙ୍କାକୁ ସଳଖ କରେ ସଳଖକୁ ବଙ୍କା ।

ଗୋଡ଼ାନ୍ତି ତା ପଛେ ସଦା ବହୁ ଆଜ୍ଞାବକା,

କାହାର ସେ ଭାଇ ଲେଖା କାହାର ବା କକା,

 

ନ ଥାଉ ତୁ ଯାହା ଘରେ ତାର ସବୁ ଦକା,

ବୁଦ୍ଧିମନ୍ତ ହେଲେ ସୁଦ୍ଧା ବୋଲାଏ ସେ ବକା ।

ସର୍ବଦା ହାବୁଡ଼େ ସେହୁ ଖାଇ ଭବ ଧକ୍କା,

ଚିନ୍ତା ହାହାକାରେ ତାର ଥାଏ ନାହିଁ ଥକା ।

 

ଭବେ କାହିଁ ଚିରବାସ ନାହିଁ ତୋର ଟଙ୍କା,

ଡ଼େଇଁ ଡ଼େଇଁ ବୁଲୁ କେତେ ପର୍ଣ୍ଣକୁଟୀ ପକ୍‌କା ।

ପକାନ୍ତି ସକଳେ ବୃଥା ମୋର ମୋର ଡ଼କା,

ଧନ୍ୟ ତୋର ଠକପଣ ଠକା ଠକା ଠକା ।

 

ପ୍ରତିଭାପୂଜା

(କଟକ ନଗରରେ କବିବର ରାଧାନାଥଙ୍କ ମୂର୍ତ୍ତିପ୍ରତିଷ୍ଠା ଉପଲକ୍ଷେ ଲିଖିତ)

ଦେଖ ଆଜି ଆସି ଦେବୀ ଶ୍ୱେତଭୁଜା,

ଲାଗିଅଛି କବି- ପ୍ରତିଭାର ପୂଜା ।

ଏ ନବୀନ ଦୃଶ୍ୟ ଦେଖ ମା ଉତ୍କଳେ,

କି ଗୌରବ-ହାର ଲମ୍ବିଛି ତା ଗଳେ ।

 

ଶୁଭଦିନେ ଆଜି ପ୍ରିୟପୁତ୍ରେ ତବ,

ହେଉଛି ଅର୍ପିତ ପାର୍ଥିବ ଗୌରବ ।

ତବ ପ୍ରିୟ ବୀଣା-ବାଦନ-ରସିକ,

ସାହିତ୍ୟ ବିପଣୀ-ପ୍ରବୀଣ-ବଣିକ,

 

କବି ରାଧାନାଥ ସତ୍ୟେ ଯାଙ୍କ ନିଷ୍ଠା,

ଲାଗିଅଛି ତାଙ୍କ ଶ୍ରୀମୂର୍ତ୍ତି ପ୍ରତିଷ୍ଠା ।

ଆସ ଆସ ମାତଃ ଆସ ଗୋ ବହନ,

କର ସେ ମୂର୍ତ୍ତିରେ ସୁମନ ବର୍ଷଣ

 

ଦେବରୁପଧାରୀ ଆହେ କବିବର,

ରଖିବ ମାନବ କି ସ୍ମୃତି ତୁମ୍ଭର ।

ସ୍ଥାପି ଯାଇଅଛ ତୁମ୍ଭେ ତୁମ୍ଭ ସ୍ମୃତି,

କବି କୀର୍ତ୍ତିମୟୀ ଶାଶ୍ୱତୀ ସୁମୂର୍ତ୍ତି ।

 

କାବ୍ୟ-ରାଶି ତବ ସ୍ୱର୍ଣ୍ଣସ୍ମୃତିସ୍ତମ୍ଭ,

ଉତ୍କଳ-ସାହିତ୍ୟ-ମନ୍ଦିରର ଖମ୍ବ ।

କାବ୍ୟ-ଦରପଣେ ତୁମ୍ଭର ହେ କୃତି,

ପ୍ରତିଫଳିଅଛି ଦିବ୍ୟ ସୌମ୍ୟ ମୂର୍ତ୍ତି ।

 

ଯୁଗେ ଯୁଗେ ତାହା ରହି ବିଦ୍ୟମାନ,

ବିତରିବ ଦେଶେ ସୁବିମଳ ଜ୍ଞାନ ।

ଆଜି ଯେ ଉତ୍ସବ ଲାଗିଛି ଏଠାଇଁ,

ଏହା ସିନା ଦେବ ଲୋକଶିକ୍ଷା ପାଇଁ ।

 

ମହାଜନ ମହାପ୍ରତିଭାର ପୂଜା,

ଶିଖୁଛି ଉତ୍କଳ ଭାରତ-ତନୁଜା ।

ଆତ୍ମ ଉନ୍ନତିର ମହାସନ୍ଥ ଏହୁ,

ତଡ଼ିବ ଅଜ୍ଞାନ ମାତୃଭୂମି ଦେହୁ ।

 

ନିବେଦନ

ସ୍ୱାଗତ ଭୋ ଦେବି,            ପ୍ରକୃତିରୁପଣୀ

ଦୁର୍ଗେ ତ୍ରିଜଗତ-ରାଣୀ,

ସଙ୍ଗେ ଘେନି ସଖୀ-      ରୂପା ଶକ୍ତିଦ୍ୱୟେ

ଲୋକମାତା ବୀଣାପାଣି ।

 

ଫୁଲ୍ଲ ଶତଦଳ            ଭାରତମଣ୍ଡଳ

ସୌରଭ ଉତ୍କଳ ତାର,

କର୍ମଦୋଷୁ ସିନା             ଘୋଟିଛି ତା ଅଙ୍ଗେ

ଅବନତି ଅନ୍ଧକାର ।

 

ଉଜ୍ଜ୍ୱଳାଏ ଯଥା            ତବ ଆଗମନ-

ଅୟନ ଅଗସ୍ତ୍ୟ ତାରା,

ଉତ୍କଳର ଭାଗ୍ୟ            ଭାରତର ତଥା

କର ଗୋ ତାରିଣୀ ତାରା ।

 

ବାହନ-କେଶରୀ            ହେଉ ଉତ୍କଳର

ଦୂରିତ-କରି-କେଶରୀ,

ତୁମ୍ଭ ପ୍ରସାଦୁ ସେ            ଜାଗୁ ନବ ବଳ

ନବୀନ ଉତ୍ସାହ ଧରି ।

 

ଉନ୍ନତିର ନବ            ସନ୍ଥ ଦିଅ ମାତଃ

ଉତ୍କଳର ଜଡ଼ପ୍ରାଣେ,

ବାଜିଉଠୁ ତାହା            ଜାତୀୟତା-ତନ୍ତ୍ରୀ

ପ୍ରାଣ-ଯନ୍ତ୍ରେ ତାନେ ତାନେ

 

ବାଦୁଡ଼ି

ଯତିରାଜ ଜତୁକା ତୁ ପକ୍ଷୀ ବାଳଖିଲ୍ୟ,

ସାଧନାରେ ନାହିଁ ତୋର ତିଳେହେଁ ଶୈଥିଲ୍ୟ ।

ଆଚରୁ କଠୋର ତପ ନିଦ୍ରାହାର ଭୁଲି,

ଦିନସାରା ଅଧୋମୁଖେ ତରୁଶାଖେ ଝୁଲି ।

 

ଚିରଫଳାହାରୀ, ଧର୍ମେ ଦୃଢ଼ ତୋ ଧାରଣା,

ଦିନେ କରୁ ଉପବାସ ରାତ୍ରରେ ପାରଣା ।

ମହତ ଉଦ୍ଦେଶ୍ୟ ତୋର ସ୍ୱଭାବ ଉତ୍ତମ,

ଜୀବନର ବ୍ରତ ତୋର ଅହିଂସା ସଂଯମ ।

 

ନିରୀହ ତୁ ପଶୁପକ୍ଷୀ ମଧ୍ୟବର୍ତ୍ତୀ ଜୀବ,

ସେହି ନିରୀହତା ତୋର ମହତ୍ତ୍ୱ ଅତୀବ ।

ସୁବ୍ରାହ୍ମଣ ପ୍ରାୟ ତୁହି ଶାନ୍ତ ଗୁଣାଧାର,

ଗୁଣସିନା ଚରିତ୍ରକୁ ଅର୍ପେ ଅଳଙ୍କାର ।

 

ହିଂସା କରି କାକ ତୋତେ ଲଭେ କେଉଁ ଫଳ,

ପାରେ ନାହିଁ ଛାଡ଼ି କେବେ ଦୁଃସ୍ୱଭାବ ଖଳ ।

 

ମୃତ୍ୟୁବରଣ

ଆସ ଆସ ମୃତ୍ୟୁଦେବ, ପ୍ରାଣ ଅଧିକାରୀ,

ଆତୁର ବାନ୍ଧବ ତୁମ୍ଭେ ଭବ-ତାପହାରୀ ।

ଦକ୍ଷ ଏକା ତୁମ୍ଭେ ବନ୍ଦୀ ବିମୋଚନ କାର୍ଯ୍ୟ,

ଘେନିଯାଅ ଜୀବାତ୍ମାକୁ ନବଜନ୍ମ-ରାଜ୍ୟେ ।

 

ଶୁଣ ଦେବ କାନ ଡ଼େରି ମୋର ନିବେଦନ,

ମୋ ପକ୍ଷେ ଦୁର୍ବହ ଏବେ ମୋହରି ଜୀବନ ।

ହେଲାଣି ବୀଭତ୍ସ ତନୁ ରୋଗେ ଯାଇ ସଢ଼ି,

ଜଳୁଅଛି ଅନ୍ତରାତ୍ମା କ୍ଳେଶେ ହରଘଡ଼ି ।

 

ଭାସୁଛି ମୁଁ ଚଢ଼ି ଏବେ ଅସହାୟ ପୋତେ,

ନ କହେ ସଂସାର ଆଉ ମୋର ବୋଲି ମୋତେ ।

କୃପା ବହି କର ବନ୍ଧୁ ଏ ସଙ୍କଟୁ ତ୍ରାହି,

ତୁମ୍ଭ ବିନା ଏ ପାନ୍ଥର ଅନ୍ୟ ସାହା ନାହିଁ ।

 

ତୁମ୍ଭେ ଏକା ଶେଷ ଆଶା, ଶେଷ ଭାଷା ମୋର,

ଧର ଅଙ୍କେ ଛିନ୍ନ କରି କାମନାର ଡ଼ୋର ।

କଠୋର ସେ ଡ଼ୋର ଅତି, ତୁମ୍ଭ ବିନା ଦେବ,

ଆନ କାହା ବଳେ ତାହା ବିଚ୍ଛିନ୍ନ ନ ହେବ ।

 

ଅନନ୍ତ ବିଭବ

କେ ଯାଚିଛୁ ଶୂନ୍ୟୁ ମୋତେ ଅନନ୍ତ ବିଭବ,

ପାରୁ ନାହିଁ ଚିହ୍ନି ତାଙ୍କୁ ମୁଁ ମୂଢ଼ ମାନବ ।

କି ହେବ ବିଭବ ମୋର, କେ କରିବ ଭୋଗ,

କି ଲୋଡ଼ା ଜୀବନେ ତାର ଭୁଞ୍ଜେ ଯାକୁ ରୋଗ ।

 

ନମସ୍କାର ପିତୃଦେବ, ପୂଜ୍ୟା ମାତୃଦେବୀ,

ଜୀବନ୍ତେ ସେ ପୁଣ୍ୟପାଦ ପାରି ନାହିଁ ସେବି ।

ସେହି ଅଭିମାନେ ପରା ଏ ଋଗ୍‌ଣ ସନ୍ତାନେ,

ଦେଖାଦେଇ ଆସି ହାୟ ଜୀବନ-ସାୟାହ୍ନେ ।

 

ସହୁଛି ମୁଁ ଯେ ଯନ୍ତ୍ରଣା ଏ ପ୍ରବାସ କ୍ଷେତ୍ରେ,

ହେଉଛି ତ ସହ୍ୟ ତାହା ତବ ଦେବନେତ୍ରେ ।

ଏହି କି ସନ୍ତାନ-ସ୍ନେହ, ହେ କୃପାନିର୍ଝର-

ଚିରମୁକ୍ତ ଦେବ ପିତା ଦେବୀ ମାତାଙ୍କର ।

 

ନ ଦେଖାଅ ପ୍ରଲୋଭନ, ତେଜ ପ୍ରରୋଚନା,

ଶୁଖି ଝଡ଼ିଗଲାଣି ମୋ ପାର୍ଥିବ କାମନା ।

ଖଟାଅ ଅନ୍ତିମେ ମୋତେ ପୁଣ୍ୟପାଦେ ତବ,

ତାହା ଏକା ମୋ ଭାଗ୍ୟରେ ଅନନ୍ତ ବିଭବ ।

 

ଆତ୍ମପୂଜା

ଜନ୍ମକାଳୁ ଆସୁଛି ମୁଁ କରି ମୋତେ ପୂଜା,

ଆତ୍ମପୂଜା ଧର୍ମ ମୋର, ଯେ ପଛେ କହୁ ଯା’ ।

ମୋହରି ପୂଜାରୀ ମୁହିଁ ମୁଁ ମୋର ଦେବତା,

ଟେକିଥାଏଁ ଚିରକାଳ ମୋ ମୁଣ୍ଡେ ମୁଁ ଛତା ।

 

ସର୍ବାଗ୍ରେ ଅର୍ପଣ କରି ମୋତେ ମୁଁ ଆହାର,

ପଛେ କରେଁ ଯଥାଶକ୍ତି ଅତିଥି-ସତ୍କାର ।

ଅତି ସ୍ୱାର୍ଥପର ମୁହିଁ, ଏ କଥା ଯଥାର୍ଥ,

ମାତ୍ର ହୁଏ ସିନା ଜାତ ସ୍ୱାର୍ଥରୁ ପରାର୍ଥ ।

 

ହୁଏଁ ପଛେ ମୂର୍ଖ ମାତ୍ର ବୁଝିଛି ଏ ମର୍ମ,

ନିଜେ ଥିଲେ କରି ହୁଏ ଉପାର୍ଜନ ଧର୍ମ ।

ତେଣୁ ମୁଁ ସରଳପ୍ରାଣେ ଧରିଛି ଏ ବିଧି,

ଆତ୍ମକୁଶଳରେ ମିଳେ ସର୍ବ କାର୍ଯ୍ୟେ ସିଦ୍ଧି ।

 

ନିବସେ ଯେ ହୃଦେ ମୋର ସେହି ମୋ ଦେବତା,

ତାହା ବିନା ନାହିଁ ଅନ୍ୟ ଦେବତାର ସତ୍ତା ।

 

ଈଶ୍ୱର କି ନିରାକାର

ଜାଗତିକ ସର୍ବ ଦ୍ରବ୍ୟେ ସଂସ୍ଥିତି ଯାଙ୍କର

ପାରନ୍ତି କ ନିରାକାର ହୋଇ ସେ ଈଶ୍ୱର ?

ବହନ୍ତି ସେ ବିଶ୍ୱରୁପ ନାମ, ବିଶ୍ୱଭୂପ,

ଭିନ୍ନ ଭିନ୍ନ ଦ୍ରବ୍ୟ ତାଙ୍କ ଭିନ୍ନ ଭିନ୍ନ ରୁପ ।

 

ନୁହନ୍ତି ସେ ନିରାକାର ଅନନ୍ତ ଆକାର,

ଅନନ୍ତ ତାଙ୍କର ଶକ୍ତି ମହିମା ଅପାର ।

ପ୍ରତି ଦ୍ରବ୍ୟ ତାଙ୍କ ମୂର୍ତ୍ତି, ସତ୍ୟ ଏ ବଚନ

ଅନୁକ୍ଷଣ କରେ ଜୀବ ଈଶ୍ୱର ଦର୍ଶନ ।

 

ବିଶ୍ୱପ୍ରେମେ ଆତ୍ମହରା ତତ୍ତ୍ୱ ଜ୍ଞାନୀ ଜନ,

ମଣନ୍ତି ନିଜକୁ ଦେଖି ଈଶ୍ୱର ଦର୍ଶନ ।

 

ନୀତିବାଣୀ

ଧର୍ମ ପରି ମହାଦୀପ କାହିଁଛି ସଂସାରେ,

ଅନ୍ତିମେ ଦେଖାଏ ପଥ ଅନନ୍ତ ଅନ୍ଧାରେ । ୧ ।

ହିତକଥା ଅମୃତରୁ ବଳି ସୁମଧୁର,

ଜୀବନର ଖାଦ୍ୟ ତାହା କ୍ଷୁଧା କରେ ଦୂର । ୨ ।

 

କୁଟିଳର କାକୁ ସ୍ତୁତି ବିଷଠାରୁ କଟୁ,

କୌଶଳରେ ନିଏ ପ୍ରାଣ ଓଟାରି ସେ ଘଟୁ । ୩ ।

ମାତୃମହୀ ମହାତୀର୍ଥ, ସେ ତୀର୍ଥ ସେବାରେ,

ସର୍ବତୀର୍ଥ ସେବାଫଳ ମିଳେ ଏକାଧାରେ । ୪ ।

 

ଦୀନ ଦୁଃଖେ ଝରିପଡ଼େ ଯେଉଁ ଅଶ୍ରୁବିନ୍ଦୁ,

ସେହି କ୍ଷୁଦ୍ର ବିନ୍ଦୁ ଏକା ପୁଣ୍ୟ ବାରି ସିନ୍ଧୁ । ୫ ।

କର୍ମ କରି ଖୋଜେ ନାହିଁ ଯଶ ଯେଉଁ ନର,

ସ୍ୱର୍ଗ ସିଂହାସନ ତାର, ସେ ଏକା ଅମର । ୬ ।

 

ମଣେ ଯେ ନିଜକୁ ସଦା ସାନଠାରୁ ସାନ,

ସେ ବରେଣ୍ୟ, କୋଟିଧନ୍ୟ, ସେ ନିଶ୍ଚେ ମହାନ । ୭ ।

ବିପଥଗାମୀକୁ ଯେହୁ ସତ୍ପଥକୁ ଆଣେ,

ସାଧୁ ସେ, ତା ଉପଦେଶ ପାଳ ଦୃଢ଼ ପ୍ରାଣେ । ୮ ।

 

ପୂର୍ଣ୍ଣତା ଆଡ଼କୁ ଯାଏ ଘେନି ଯେ ମାନବେ,

ସମ୍ପୁର୍ଣ୍ଣ ସାର୍ଥକ ତାର ଗୁରୁ ଆଖ୍ୟା ଭବେ । ୯ ।

ନ ଦିଏ କଳଙ୍କ ତିଳେ ରଖି ଯେ ଚରିତ୍ରେ,

ପ୍ରାଣର ହୀତୈଷୀ ସେହୁ, ଗଣନୀୟ ମିତ୍ରେ । ୧୦ ।

 

ସାଳନ୍ଦୀତୀରେ ସୂର୍ଯ୍ୟାସ୍ତ

କର୍ମକ୍ଳାନ୍ତ ରବି ଚକ୍ରବାଳ ଅଙ୍କେ,

ଶୋଇଲେ ଦିନାନ୍ତେ ସୁବର୍ଣ୍ଣ-ପଲଙ୍କେ ।

ହସିଲା ବାରୁଣୀ-ଅରୁଣବରଣୀ,

ଝରିଲା ସେ ହାସୁ ହୀରା, ମୁକ୍ତା, ମଣି ।

 

ନେଲେ ତା ଗୋଟାଇ ଜଙ୍ଗମ ସ୍ଥାବରେ,

ଯେ ଯେତେ ପାରିଲା ମଣ୍ଡିଲା ଦେହରେ ।

ସ୍ୱଭାବରେ ହାସ୍ୟ ସଂକ୍ରାମକ ଅତି,

ଜଣକ ହାସ୍ୟରେ ସମସ୍ତେ ହସନ୍ତି ।

 

ବାରୁଣୀ ବଦନେ ହେରି ଚାରୁ ହାସ,

ସୃଷ୍ଟିସାରା କଲେ ସୁହାସ ପ୍ରକାଶ ।

ଖେଳିଲାକ ନାଚି ହାସ୍ୟର ବିଜୁଳି,

ଅମୃତର ଉତ୍ସ ଉଠିଲା ଉଛୁଳି ।

 

ଆହା ସେ ଶୋଭାର ନାହିଁ ପଟାନ୍ତର,

ନିବିଭ ଗଭୀର ଅସୀମ ସୁନ୍ଦର ।

ଅସ୍ତୋନ୍ମୁଖ ରବି କନକ-କିରଣେ,

ହେଲାକ ପ୍ରକୃତି କନକିତ କ୍ଷଣେ ।

 

ବହିଲା କନକସ୍ରୋତ ନଦୀବକ୍ଷେ,

କନକ-କଲ୍ଲୋଳ ସୃଜି ଲକ୍ଷେ ଲକ୍ଷେ ।

ଶୋଭେ ସିନ୍ଧୁପ୍ରିୟା ସୌମ୍ୟ ଭଉଁରୀରେ,

ବାନ୍ଧୁଛି କି ଖୋଷା ସ୍ୱର୍ଣ୍ଣ ଚଉଁରୀରେ ।

 

ଆନ ତୀରୁ ଉଡ଼ି ଆସନ୍ତି ବିହଙ୍ଗେ,

କନକକିରଣ ମାଖି ପ୍ରତିଅଙ୍ଗେ ।

ହେମାଙ୍ଗ ହଳଦୀବସନ୍ତ ସବଧୁ,

ଢାଳିଦେଲା ସ୍ୱରେ ମଧୁମୟ ମଧୁ ।

 

ଜଳେ ତାର ଚଳ ପ୍ରତିବିମ୍ବ ଦିଶେ,

ସତ୍ୟ ପ୍ରତିଚ୍ଛବି ସ୍ୱଚ୍ଛହୃଦେ କି ସେ !

ସ୍ୱଭାବେ ବିହଙ୍ଗେ ଚିର ହୃଷ୍ଟଚିତ୍ତ,

ଗା’ନ୍ତି କୁତୂହଳେ ପ୍ରାଣର ସଙ୍ଗୀତ ।

 

କି ଭାଷା କି ଛନ୍ଦ କେ ନ ପାରେ କହି,

ହୁଏ ଲୁବ୍‌ଧ ମୁଗ୍‌ଧ କ୍ଷୁବ୍‌ଧ ଚିତ୍ତ ତହିଁ ।

ବିଦିତ ତା ଏକା ପ୍ରଭୁ ବିଶ୍ୱଆଶା,

ବୁଝନ୍ତି ସେ ସର୍ବ ଅନ୍ତର୍ଗତ ଭାଷା ।

 

 

 

ଅନ୍ତର୍ଯ୍ୟାମୀ ହେତୁ ଅନ୍ତରର ସ୍ତବ,

ଶୁଣନ୍ତି ଉତ୍କର୍ଣ୍ଣେ ଜଗତ-ବାନ୍ଧବ ।

ଧାଇଁଛି ସାଳନ୍ଦୀ ପ୍ରେମେ ଆତ୍ମହାରା,

ଭଦ୍ରଖ ଭାଗ୍ୟରେ ବିଧି-କୃପାଧାରା ।

 

ଗାଉଛି କି ଗୀତ ହୋଇ ପୁଲକିତ,

ମଧୁର ସେ ଯଥା ଅପ୍‌ସରା-ସଙ୍ଗୀତ ।

ଅଥବା ପ୍ରେମାଶ୍ରୁ ଢାଳି ନଦୀରୁପେ,

ପୂଜୁଛି ପ୍ରକୃତି ତହିଁ ବିଶ୍ୱଭୂପେ ।

 

ପବିତ୍ର ପ୍ରେମାଶ୍ରୁ ମହାମୂଲ୍ୟବାନ,

ପୂଜାର ସେ ସର୍ବ ଶ୍ରେଷ୍ଠ ଉପାଦାନ ।

କ୍ରମେ ନିମ୍ନେ ଖସି ହିଙ୍ଗୁଳିତ ରବି

ଧରିଲେ ବୃତ୍ତାର୍ଦ୍ଧ ବୃତ୍ତଖଣ୍ଡ ଛବି ।

 

ପ୍ରକୃତି ସୁନ୍ଦରୀ ମୃଦୁଛି କି ଆଖି,

କ୍ରମେ କ୍ରମେ ଡ଼ୋଳା ପଢ଼ୁଅଛି ଢାଙ୍କି ।

କିମ୍ବା ବିଷ୍ଣୁଚକ୍ର ପଶୁଅଛି ପରା,

ଅତଳ ପାତାଳେ, ଭେଦି ବସୁନ୍ଧରା ।

ପ୍ରତୀଚୀ ପ୍ରାଙ୍ଗଣ ଦିଶେ ବିଚ୍ଛୁରିତ,

ଆରକ୍ତ ରେଖାରେ ହୋଇ ରେଖାୟିତ ।

ଧାଡ଼ି ସିଧା ପାଇ ନବ ଲିପିକାର,

ଧୂସର କାଗଜେ କାଟିଛି କି ଗାର ।

 

ପଡ଼ିଲା ସେ ରେଖା ଭେଦି ଅଗଣନ,

ଅସ୍ତଗାମୀ ରବି କନକ-କିରଣ ।

କୁସୁମ କେଶରେ ଖଞ୍ଜି ସ୍ୱର୍ଣ୍ଣତାର,

ବୁଣିଲା କି ବସ୍ତ୍ର କେଉଁ ବସ୍ତ୍ରକାର ।

 

ମୂହୁର୍ତ୍ତ ମଧ୍ୟରେ ସାଳନ୍ଦୀର ଜଳ,

ସ୍ୱର୍ଣ୍ଣ ବର୍ଣ୍ଣ ତେଜି ଦିଶିଲା ପାଟଳ ।

ଉଡ଼ୁଁ ଉଡ଼ୁଁ ଉଡ଼ୁ ବଣିଆ ନିଚୟ,

ତୋଳି ନେଇ ପୁଚ୍ଛେ ପାନ କଲେ ପୟ ।

 

ଚାରୁ ରୌପ୍ୟଜରୀ-ପକ୍ଷେ ତାହାଙ୍କର,

ଝଟକିଲା ପଡ଼ି ରବି ରକ୍ତକର ।

ଖସି ମାଛରଙ୍କା ନକ୍ଷତ୍ରଗତିରେ,

ବୁଡ଼ି ମୀନ ଘେନି ଉଡ଼ିଯାଏ ତୀରେ ।

 

ନଦୀ-ଶୋଭା-ନୀରେ ସାରି ସାୟଂସ୍ନାନ,

ଫେରିଲେ କୁଲାୟେ ଦ୍ୱିଜେ ଗାଇ ଗାନ ।

ତୁଙ୍ଗ ତରୁଶିରୁ ଉଡ଼ି ଆସି ଧୀରେ,

ବସିଲାକ ବକ ତରଙ୍ଗିଣୀ ତୀରେ ।

 

ମିଳିବ ଆହାର ଧରି ଏ ବିଶ୍ୱାସ,

କଲା ସୁକଠୋର ସାଧନା ପ୍ରକାଶ ।

ହେଉ ପଛେ କ୍ଷୀଣକାୟ ଅଚଞ୍ଚଳ,

ମାତ୍ର ସେ ଧଇର୍ଯ୍ୟେ ବିଶ୍ୱାସେ ସବଳ ।

 

ବିଧାତାର ଏହି ନୀତି ଅନିବାର୍ଯ୍ୟ,

ସବଳ ବିଶ୍ୱାସୀ ଲଭେ ନିଶ୍ଚେ କାର୍ଯ୍ୟ ।

ବାଳବିଦୁଳିତ ବିଦୁଳ * ନିକର,

ଢାଳୁଛନ୍ତି ଧୀରେ ବିଦ୍ରୁମ ଚାମର ।

 

* ପାଣିବେତ

କାହା ଉଦ୍ଦେଶ୍ୟରେ ଏ ନିର୍ବାଣୀ ସେବା,

ଏ ପୁଣ୍ୟ ପୂଜାର ଉପଦେଷ୍ଟା କେବା ।

କେ ଭେଦିବ ଏହି ଦୁରୁହ ରହସ୍ୟ,

ଯେ ଭେଦିବ ସେହୁ ବିଶ୍ୱର ନମସ୍ୟ ।

 

ଚକିଦେଇ ଚିଲ ବୁଲୁଅଛି ଘୁରି

ବଜାଇ ସୁକଣ୍ଠ-ମଧୁର ମହୁରି ।

ନଦୀଗର୍ଭେ ବୁଡ଼ି ଚାଲିଛି ତା ଛାୟା,

ରଚୁଛି ବିରହ-ଗୀତ କୋକ-ଜାୟା ।

 

ସ୍ୱଭାବେ ସାଳନ୍ଦୀ ଶୋଭାବତୀ ସିନା,

ଶୁଭ୍ର ଶୁକ୍ତିମତୀ ସୈକତପୁଲିନା ।

ଦୁଯେ ଲଭି ଅସ୍ତ ଭାସ୍କର କିରଣ,

ବସିଲା ସେ ହୋଇ ଶୋଭାର ଭୂଷଣ ।

 

ପୂରିଲା ତା ବକ୍ଷ ଶୋଭା ମହୋତ୍ସବେ,

ହେଲା ସେ ଅତୁଳା ସୁଷମାରେ ଭବେ ।

ମାତ୍ର କାହା ଭାଗ୍ୟ ନୁହଇ ତ ଚିର,

ଭାଗ୍ୟ ସିନା ଭବେ ପଦ୍ମପତ୍ରେ ନୀର !

 

ଚାହୁଁ ଚାହୁଁ ରବି ହୋଇଗଲେ ଅସ୍ତ,

ଉଭିଗଲା କାହି ସେ ଶୋଭା ସମସ୍ତ ।

କାଳ ସେ ଶୋଭାରେ ବହି ଅହମିକା

ଟାଣିଦେଲା ତହିଁ ସନ୍ଧ୍ୟା-ଯବନିକା ।

 

ଯେଉଁ କାଳ କରେ ଶୋଭାକୁ ଜନମ,

ସେହି କାଳ ପୁଣି ହୁଏ ଶୋଭା-ଯମ ।

ଆସିଲା ଘୋଡ଼ାଇ ତିମିରକାଳିମା,

ମିଶିଗଲା ତହିଁ ଜଳ ସ୍ଥଳ ସୀମା ।